୧୭୩୯ ମସିହା କାତ୍ତିକ ମାସ ଶୁକ୍ଳପକ୍ଷ ନବମୀ । ପୁରୀ ରାଜାଙ୍କର ମନ୍ତ୍ରୀ ଚାନ୍ଦ ରାଜଗୁରୁଙ୍କ ଘରେ ପୁଅ କୁଁଆ କୁଁଆ କରି ସେଦିନ କାନ୍ଦି ଉଠିଥିଲା । ସେଇ ପିଲା ଦିନେ ବଡ଼ ହୋଇ ତାର ଜନ୍ମମାଟିର ସ୍ୱାଧୀନତା ଆଉ ତା ଜାତିର ସମ୍ମାନ ପାଇଁ ପ୍ରାଣବଳି ଦେଇଥିଲା ।
ପିତା ଚାନ୍ଦ ରାଜଗୁରୁ ମଧ୍ୟ କବି ରାମଚନ୍ଦ୍ର ଖଡ଼୍ଗରାୟ ନାମରେ ପରିଚିତ ଥିଲେ । ସେ ଯୁଦ୍ଧ ବିଦ୍ୟାରେ ଯେମିତି ନିପୁଣ, ଜ୍ୟୋତିଷ ବିଦ୍ୟାରେ ସେମିତି ଜଣେ ପଣ୍ଡିତ ଥିଲେ । ମାତା ହାରାମଣିଙ୍କର ମଧ୍ୟ ପୁରାଣ-ଶାସ୍ତ୍ରରେ ଭାରି ଆଗ୍ରହ ଓ ଦକ୍ଷତା ଥିଲା । ପିତାମାତାଙ୍କ ପାଣ୍ଡିତ୍ୟ ଓ ବୀରତ୍ତ୍ଵ ତାଙ୍କ ପୁଅ ଉପରେ ଖୁବ୍ ପ୍ରଭାବ ପକାଇଥିଲା । ସେ ପିଲା ଦିନୁ ସଂସ୍କୃତ ପଡ଼ିଥିଲେ ଆଉ ଜ୍ୟୋତିଷ, ତନ୍ତ୍ର, ଦର୍ଶନ ଶାସ୍ତ୍ରରେ ପ୍ରବେଶ ଲାଭ କରିଥଲେ । ଯୁଦ୍ଧବିଦ୍ୟାରେ ମଧ୍ୟ ରାଜଗୁରୁ ଶିକ୍ଷା ଲାଭ କରି ଖୁବ୍ ଦକ୍ଷତା ଦେଖାଇଥିଲେ ।
ବଡ଼ ହେବାରୁ ତାଙ୍କୁ ସମସ୍ତେ ଜୟୀ ରାଜଗୁରୁ ବୋଲି ଜାଣିଲେ, କିନ୍ତୁ ତାଙ୍କର ଭଲ ନାମ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର । ସେ ପିତାଙ୍କ ସହିତ ରାଜସଭାକୁ ଯାଉଥିଲେ । ତାଙ୍କର ପାଣ୍ଡିତ୍ୟ ଦେଖି ରାଜସଭାର ପଣ୍ଡିତମାନେ ଈର୍ଷାରେ ଜଳି ଯାଉଥିଲେ । ତାଙ୍କର ଅମାପ ବଳବହପ ପାଖରେ ସମସ୍ତେ ମୁଣ୍ଡ ନୁଆଁଉଥିଲେ ।
ପିତାଙ୍କ ପରେ ସେ ପୁରୀ ରାଜାଙ୍କର ପ୍ରଧାନମନ୍ତ୍ରୀ ହେଲେ । ତାହା ହେଲା ୧୭୯୮ ମସିହାର କଥା । ସେହିବର୍ଷ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ହୋଇଥିଲା । ଆଊ ଖୋର୍ଦ୍ଧା ରାଜସିଂହାସନ ପାଇଁ ତାଙ୍କ ପୁଅ ମୁକୁନ୍ଦଦେବ ଓ ବୀରକିଶୋର ଦେବଙ୍କ ଦ୍ଵିତୀୟ ପୁଅ ଶ୍ୟାମସୁନ୍ଦର ଦେବଙ୍କ ମଧ୍ୟରେ ବିବାଦ ଲାଗିଥିଲା । ମାତ୍ର ଜୟୀ ରାଜଗୁରୁଙ୍କ ବିଚକ୍ଷଣ ବୁଦ୍ଧି ଓ ସାହସ ବଳରେ ମୁକୁନ୍ଦଦେବ ଖୋର୍ଦ୍ଧାର ରାଜା ହେଲେ । କିନ୍ତୁ ସେତେବେଳେ ମୁକୁନ୍ଦଦେବ ନାବାଳକ ଥିବାରୁ ଜୟୀ ରାଜଗୁରୁ ତାଙ୍କର ଅଭିଭାବକ